Recent

6/recent/ticker-posts

ରାଜ୍ୟରେ ସିଟି ଇକୋନୋମିକ ରିଜିଅନ ଗଠନ ପାଇଁ ପ୍ରସ୍ତାବ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରାଜ୍ୟରେ ନୂତନ ସିଟି ଇକୋନୋମିକ ରିଜିଅନ ଗଠନ ପାଇଁ ପ୍ରସ୍ତାବ ଆସିଛି । ସମ୍ବଲପୁର–ସୁନ୍ଦରଗଡ଼–ଝାରସୁଗୁଡ଼ା–ବରଗଡ଼ ଏବଂ ଅନୁଗୋଳ–ଢେଙ୍କାନାଳ ଅଞ୍ଚଳକୁ ପୃଥକ ‘ସିଟି ଇକୋନୋମିକ ରିଜିଅନ’ ଭାବେ ବିକଶିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ମଡେଲକୁ ଆଧାର କରି ଏହି ଦୁଇଟି ନୂତନ ରିଜିଅନ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ୱାରା ସଂପୃକ୍ତ ଅଞ୍ଚଳର ଶିଳ୍ପ, କୃଷି, ଶିକ୍ଷା, ପର୍ଯ୍ୟଟନ ଓ ଅନ୍ୟାନ୍ୟ ସମ୍ଭାବନା ବିକାଶ ପାଇବ ବୋଲି ସେ ଉଲ୍ଲେଖ କରିଛନ୍ତି । ସମ୍ବଲପୁର–ସୁନ୍ଦରଗଡ଼–ଝାରସୁଗୁଡ଼ା–ବରଗଡ଼ ଓ ଅନୁଗୋଳ–ଢେଙ୍କାନାଳ କ୍ଲଷ୍ଟର ମିଶି ରାଜ୍ୟର ମୋଟ ଜିଏସଡିପିରେ ୨୬ ପ୍ରତିଶତରୁ ଅଧିକ ଅବଦାନ ରଖୁଛି । ଏଠାରେ ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ହସ୍ତତନ୍ତ, ଖାଦ୍ୟ ପ୍ରକ୍ରିୟାକରଣ ଓ ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ ପୁଞ୍ଜିନିବେଶର ସୁଯୋଗ ରହିଛି ।
ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଭିସୁଟ ବୁର୍ଲା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ସଂସ୍ଥା ଏହି ଅଞ୍ଚଳକୁ ନୂତନ ଅର୍ଥନୀତିର ଏକ କେନ୍ଦ୍ରବିନ୍ଦୁରେ ପରିଣତ କରୁଛି । ସେପରି ଏହି କ୍ଲଷ୍ଟର ଭୁବନେଶ୍ୱର, ରାୟପୁର ଓ ରାଞ୍ଚିର ୩୦୦ କିମି ପରିଧି ମଧ୍ୟରେ ଥିବାରୁ ବ୍ୟବସାୟିକ ଗୁରୁତ୍ୱ ଅଧିକ । ଅନୁଗୋଳରେ ନାଲକୋ, ଏନଟିପିସି କଣିହାଁ, ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଓ ଏମସିଏଲ ଭଳି ବଡ଼ ସଂସ୍ଥାଗୁଡ଼ିକ ରାଜ୍ୟର ଶକ୍ତି ଯୋଗାଣର ମୂଳ ଆଧାର ହୋଇଛି । ବ୍ରାହ୍ମଣୀ ନଦୀ ଉପରେ ଘୋଷିତ ୫ ନମ୍ବର ଜାତୀୟ ଜଳପଥ ପରିବହନ ବିକାଶରେ ନୂତନ ଦିଗ ଆଣିବ । ଏଠାରେ ପ୍ରଚୁର କୋଇଲା, କ୍ରୋମାଇଟ୍ ଓ ଲୁହା ପଥର ମିଳୁଥିବାରୁ ଭାରୀ ଶିଳ୍ପ, ନୂତନ କାରଖାନା ଓ ଅକ୍ଷୟ ଶକ୍ତି ଉତ୍ପାଦନରେ ଏହା ଉତ୍କୃଷ୍ଟ ସ୍ଥାନ ଭାବେ ଗଢ଼ିଉଠିପାରିବ । ପର୍ଯ୍ୟଟନ ଦୃଷ୍ଟିରୁ ଦେବ୍ରିଗଡ, ଭୀମମଣ୍ଡଳୀ, ବେଦବ୍ୟାସ, ଖଣ୍ଡାଧାର, ପ୍ରଧାନପାଟ, ସାତକୋଶିଆ, କପିଳାସ ଓ ସପ୍ତଶଯ୍ୟା ଭଳି ସ୍ଥଳୀର ବିକାଶ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନା ସାକାର ହେଲେ ଓଡ଼ିଶା ଦେଶର ବିକାଶରେ ଏକ ମୁଖ୍ୟ ମାଇଲସ୍ଟୋନ୍ ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

Post a Comment

0 Comments