Recent

6/recent/ticker-posts

ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ- ଜୁନିୟର ମହାରଥୀ

ଡେଲାଙ୍ଗ: ଲୋକଙ୍କ ପାଖକୁ ଯାଅ,ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ।ଗାଁକୁ ଗାଁ,ଘରକୁ ଘର ବୁଲି ଲୋକଙ୍କୁ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳତା ବିଷୟରେ ଅବଗତ କରାଅ।ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନ ସଂପର୍କ ପଦଯାତ୍ରାରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ଗୁରୁବାର ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଦଳୀୟ କର୍ମୀଙ୍କୁ  ଗୁରୁମନ୍ତ୍ର ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ଗୁରୁବାର ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଡେଲାଙ୍ଗ କୋଠବାଡ଼ ପଞ୍ଚାୟତରୁ ବାହାରି ମୁନିନ୍ଦା ପଞ୍ଚାୟତ ଦେଇ ଶେଷରେ କଲ୍ୟାଣପୁର ପଞ୍ଚାୟତର ସେବତୀପୁର ପଶ୍ଚିମପାରି ବାବା ବାଙ୍କେଶ୍ଵର ଦେବଙ୍କ ପୀଠରେ ପହଞ୍ଚିବା ପରେ ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।ବ୍ଳକ୍ ବିଜେଡି ସଭାପତି ବୈରାଗୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବହୁମୁଖି କଲ୍ୟାଣକାରୀ ଯୋଜନାର ସୁଫଳତା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରିଥିଲେ।ଲୋକଙ୍କ ସେବା କରିବା ମୋ ଜୀବନର ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିବା ସହ ସମସ୍ତ ଭେଦଭାବ ଭୁଲି ଦଳୀୟ କର୍ମୀମାନେ ଘର ଘର ବୁଲି ଲୋକଙ୍କ  ସୁଖଦୁଃଖ ବୁଝିବା ପାଇଁ ପରାମର୍ଶ ଦେଇଥିଲେ।
ଏପରିକି ଲୋକଙ୍କ ପାଖରେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପହଞ୍ଚିଛି କି ନାହିଁ ସେ ସମ୍ପର୍କରେ ସ୍ଥିତି ପରଖିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ଵାନ ଦେବା ସହ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ପ୍ରାଥମିକତା ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।ସେହିପରି  କଲ୍ୟାଣପୁର ପଞ୍ଚାୟତରେ ଥିବା ପାନୀୟ ଜଳ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରିବାକୁ ବିଧାୟକ ଶ୍ରୀ ମହାରଥୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ତେବେ ଡେଲାଙ୍ଗ କୋଠବାଡ଼ ପଞ୍ଚାୟତର ପୁରୁଣା ଡେଲାଙ୍ଗ ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା ଯାଉଥିବାବେଳେ ସମାଜସେବୀ ନିର୍ମଳ କୁମାର ପରିଡ଼ା ବିଧାୟକଙ୍କ ପାଖରେ ପହଞ୍ଚି କାହିଁକି ୬ ବର୍ଷ ହେଲା ଅଧାପନ୍ତରିଆ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ।ତେବେ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁଁ ଲୋକେ ସ୍ଥଳ ବିଶେଷରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବିଧାୟକ ହୃଦୟଙ୍ଗମ କରିବା ସହ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ।ଏହି ଜନ ସଂପର୍କ ପଦଯାତ୍ରାରେ ବ୍ଳକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ,ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ,ବିଜେଡି ନେତା କିଶୋର ଛୋଟରାୟ,ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ବିଜୟ କୁମାର ରାଉତରାୟ,ପୂର୍ବତନ ଆତ୍ମା ଅଧ୍ୟକ୍ଷ ସୁଧାକର ମାର୍ଥା,ବିଜେଡି ଯୁବ ନେତା ଚିତ୍ରସେନ ନିଶଙ୍କ, ସଞ୍ଜୟ କୁମାର ଜେନା, ଛାତ୍ର ବିଜେଡ଼ି ସଭାପତି ସୁଦୀପ୍ତ କୁମାର ନାୟକ,ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ସେଠୀ,ସମିତି ସଭ୍ୟ ସୁଶାନ୍ତ କୁମାର ଦାସ,ମୁନିନ୍ଦା ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ନରେନ୍ଦ୍ର ପରିଡ଼ା,ବରିଷ୍ଠ ନାଗରିକ ନିରଞ୍ଜନ ମହାନ୍ତି,ସମବାୟବିତ୍ ନବଘନ ପ୍ରଧାନ,ପ୍ରାକ୍ତନ ବ୍ଳକ୍ ଉପାଧ୍ୟକ୍ଷ ଲଛମନ ଦଳେଇ ଓ ମହିଳା ମହାସଂଘର ସଦସ୍ୟାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ୍ ହୋଇଥିଲେ।ଶେଷରେ ବ୍ଳକ୍ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ: ସିଦ୍ଧାର୍ଥ ବଳବନ୍ତରାୟ(ଡେଲାଙ୍ଗ) 

Post a Comment

0 Comments