ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସିକ୍ୟୁରିଟି ଗାର୍ଡ ଛୁଟି ନ ମିଳିବାରୁ କ୍ରୋଧିତ ହୋଇ ନିଜ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛି। ଏହି ଘଟଣାଟି ଗାଜିଆବାଦର ଲୋନି ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କରେ ଘଟିଛି। ମୃତ ମ୍ୟାନେଜରଙ୍କ ନାମ ଅଭିଷେକ ଶର୍ମା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଗାର୍ଡ ରବୀନ୍ଦ୍ର ହୁଡା ଦୀର୍ଘ ଦିନ ହେବ ଛୁଟି ପାଇଁ ଆବେଦନ କରୁଥିଲେ ମଧ୍ୟ ମ୍ୟାନେଜର ତାଙ୍କୁ ଛୁଟି ଦେଉନଥିଲେ। ସୋମବାର ପ୍ରାୟ ଦିନ ୧:୪୫ ସମୟରେ ଉଭୟଙ୍କ ମଧ୍ୟରେ ଏହି ବିଷୟକୁ ନେଇ ପୁଣି ବଚସା ହୋଇଥିଲା ଏବଂ ପରିଶେଷରେ ଗାର୍ଡ ଜଣକ ନିଜ ବନ୍ଧୁକରୁ ମ୍ୟାନେଜରଙ୍କ ଛାତିକୁ ଗୁଳି କରିଥିଲେ।
ଗୁଳିମାଡ଼ ପରେ ବ୍ୟାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗୁରୁତର ଅବସ୍ଥାରେ ଅଭିଷେକଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅପରାଧ ଘଟାଇବା ପରେ ଅଭିଯୁକ୍ତ ଗାର୍ଡ ରବୀନ୍ଦ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଏସିପି ଜ୍ଞାନ ପ୍ରକାଶ ରାୟଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ବାଗପତ ଅଞ୍ଚଳର ବାସିନ୍ଦା ଏବଂ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସାମାନ୍ୟ ଛୁଟି ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


0 Comments