Recent

6/recent/ticker-posts

ଡେଲାଙ୍ଗ ରେ ଆଦର୍ଶ ବିଦ୍ୟାଳୟ ଉନ୍ମୋଚିତ


ଡେଲାଙ୍ଗ: ସମସ୍ତଙ୍କୁ ଉନ୍ନତମାନର ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ଶିକ୍ଷା ବିଭାଗରେ ଆମୂଳଚୂଳ ପରିବର୍ତ୍ତନ କରିବା ସହ ସମ୍ପ୍ରତି ଶିକ୍ଷା ପ୍ରତି ପିଲାମାନଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ୫ଟି ଯୋଜନା ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତରୀକରଣ ଭଳି ଅତ୍ୟାଧୁନିକ ଯୋଜନାମାନ ହାତକୁ ନେଇ ବାସ୍ତବକ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବହୁ ବିଳମ୍ବରେ ଡେଲାଙ୍ଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏହାର ନିର୍ମାଣ କାର୍ଯ୍ୟରେ ପ୍ରମୁଖ ଦାୟିତ୍ଵ ଗ୍ରହଣ କରୁଥିବା ରାଜ୍ୟ ସରକାରଙ୍କ ପୂର୍ବ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ସ୍ଥାନୀୟ ବିଧାୟକ , ପଞ୍ଚାୟତିରାଜ ପ୍ରତିନିଧ୍ଵ ଓ ଜନସାଧାରଣଙ୍କ ମନରେ ଘୋର ଅଶାନ୍ତି , ନୈରାଶ୍ୟ ତଥା ଅସନ୍ତୋଷ ପ୍ରକାଶ ପାଇଛି । ଏହି ଅନୁପସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ଶାରୀରିକ ଅସୁସ୍ଥତା ଆଳ ଦେଖାଇ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନାହାନ୍ତି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ସଫେଇ ଦେଇଛନ୍ତି । ତେବେ ପୂର୍ବ ବିଭାଗ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଶନିବାର ଅପରାହ୍ନରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବେରବୋଇଠାରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଡ଼ିଆ ବାଡେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ୍‌ ଅଧ୍ୟକ୍ଷା ବାସନ୍ତୀ ସାହୁ , ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ , ବିଡ଼ିଓ ଦିଲ୍ଲୀପ ଷଡଙ୍ଗୀ , ସମବାୟବିତ୍ ବୈରାଗୀ ଜେନା , ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ , ସଭ୍ୟ ଦିପ୍ତିଶ୍ରୀ ରାଉତରାୟ , ଆତ୍ମା ସଭାପତି ସୁଧାକର ମାର୍ଥା , ପିପିଲି ବ୍ଲକ୍ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ , ପ୍ରାକ୍ତନ ସମବାୟ ସମିତି ସଭାପତି ନବଘନ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ । ତେବେ ଭୁବନେଶ୍ବର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ -୨ ଅଧୀନ ଏହି କାର୍ଯ୍ୟର ଅଟକଳ ମୂଲ୍ୟ ୭କୋଟି , ୧୭ ଲକ୍ଷ , ୨୯ ହଜାର , ୪୯୦ ଟଙ୍କା ହୋଇଥିବାବେଳେ ଏମଡିଏସଜି କନଷ୍ଟ୍ରକସନ୍‌ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ନାମକ ଏକ ଠିକାଦାର ସଂସ୍ଥା ଏହି କାର୍ଯ୍ୟକୁ ଏକବର୍ଷ ମଧ୍ୟରେ ସଂପୂର୍ଣ କରିବାକୁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ନେଇ ସୂଚନା ମିଳିଛି ।

ରିପୋର୍ଟ :- ହିମାଂଶୁ ମହାପାତ୍ର (ଡେଲାଙ୍ଗ)

Post a Comment

0 Comments