ବାଲେଶ୍ୱର : ସମୁଦ୍ର ବେଳାଭୂମି ପର୍ଯ୍ୟଟନର ବିକାଶ ସହ ମାଲ ପରିବହନ ପାଇଁ କୋଷ୍ଟାଲ ହାଇୱେ ନିର୍ମାଣ ହେବ। ଏହା ଦ୍ୱାରା ସମୁଦ୍ର ଉପକୂଳ ସୁରକ୍ଷା ସହିତ ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ପରିକଳ୍ପନା ନେଇ କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ନେତୃତ୍ୱାଧୀନ ବିଜେପି ସରକାର ୨୦୧୫ ମସିହାରେ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରକଳ୍ପ ଯୋଜନା ଘୋଷଣା କରିଥିଲେ। ପଶ୍ଚିମବଙ୍ଗ ଦୀଘା ବେଳାଭୂମିଠାରୁ ଗୋପାଳପୁର ପର୍ଯ୍ୟନ୍ତ ୪୫୧ କିଲୋମିଟର ବିସ୍ତୀର୍ଣ୍ଣ ବେଳାଭୂମି ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେବ ବୋଲି ଘୋଷଣା ହୋଇଥିଲା। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୭୫୦୦ କୋଟି ଟଙ୍କା ମଞ୍ଜୁର ହୋଇ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୬ ବର୍ଷ ବିତିଯାଇ ଥିଲେ ଏଯାଏଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ନ ପାରିବା ଏବଂ ବାରମ୍ୱାର ରୂପରେଖ ବଦଳୁଥିବାରୁ ଏହି ପ୍ରକଳ୍ପର କାର୍ଯ୍ୟକାରିତା କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ପ୍ରକାଶ ଯେ, କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଭାରତ ମାଳା ପରିଯୋଜନା ଅନ୍ତର୍ଭୁକ୍ତ ଏହି କୋଷ୍ଟାଲ ହାଇୱେ ଘୋଷଣା ହେବା ଦିନ ଠାରୁ ଏହାର ରୂପରେଖ ବାରମ୍ୱାର ପରିବର୍ତ୍ତନ ହେଉଛି। ଯାହା ଫଳରେ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମ ଘୋଷଣାରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦୀଘା ବେଳାଭୂମି ପର୍ଯ୍ୟନ୍ତ ନିର୍ମାଣ ହେବ। ସେଥିପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଯାଇଥିଲା। କିନ୍ତୁ କିଛିଦିନ ପରେ ତାହା ପୁଣି ବନ୍ଦ ହୋଇଯାଇଥିଲା। ମାତ୍ର ବିଗତ ତିନିବର୍ଷ ମଧ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବହୁ ବାଦବିବାଦକୁ ନେଇ ଏହାର ରୂପରେଖ ୩ ଥର ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ମୂଳ ପ୍ରସ୍ତାବ ଅନୁଯାୟୀ ଏହି ରାଜପଥ ଚିଲିକା ହ୍ରଦକୁ ଅତିକ୍ରମ କରିବାର ଥିଲା। ଏଥିପାଇଁ ଚିଲିକା ଉପରେ ଦୁଇଟି ବଡ଼ ପୋଲ ନିର୍ମାଣ ହୋଇଥାନ୍ତା। ମାତ୍ର ଏହା ଦ୍ୱାରା ପରିବେଶ ସମ୍ୱେଦନଶୀଳ ଚିଲିକା ଉପରେ ପ୍ରଭାବ ପଡ଼ିବ। ବିଶେଷକରି ଚିଲିକାରେ ଥିବା ଡ଼ଲଫିନ ଏବଂ ଅନ୍ୟ ଜୀବମାନେ ପୋଲ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଏହି ନିର୍ମାଣ ଉପରେ ପ୍ରଶ୍ନ ଉଠିଥିଲା। ପରେ ରାଜ୍ୟ ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ଓ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।


0 Comments