ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଓ ମନମୁଖୀ ପରିଚାଳନା ଯୋଗୁ ରାଜ୍ୟ ସମବାୟ ବ୍ୟାଙ୍କ ଓ ତା’ର ଶାଖା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକ ଆର୍ଥିକ ଅସ୍ଥିରତା ଭିତରକୁ ଠେଲି ହେବାରେ ଲାଗିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଯେଉଁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୂଳଧନ ଯେତିକି ନୁହେଁ ତା’ଠୁ ଅଧିକ ପରିମାଣର ଋଣ ଆବଂଟନ ହୋଇଛି । ଆଉ ସମସ୍ତ ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିବା ସିଇଓ( ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ)ଙ୍କ ମଧ୍ୟରୁ କେହି ବି ଏହି ପଦ ନିମନ୍ତେ ଉପଯୁକ୍ତ ଯୋଗ୍ୟତା ରଖିନାହାନ୍ତି । ଏପରିକି ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୮ଜଣ ସିଇଓଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ଏନେଇ ରିଜର୍ଭ ବ୍ୟାଙ୍କର ଅନୁମତି ନିଆଯାଇନାହିଁ । ଯାହାକି ବ୍ୟାଙ୍କିଙ୍ଗ୍ ନିୟମାବଳୀ-୧୯୪୯ର ଧାରା-୩୫-ଖ’ର ସିଧାସଳଖ ଉଲ୍ଲଘଂନ ମଧ୍ୟ । ଉପରୋକ୍ତ ସମସ୍ତ ଅସଙ୍ଗତି ଓ ବିପର୍ଯ୍ୟସ୍ତ ପରିଚାଳନା ସମ୍ପର୍କରେ ୧୮ତମ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକରେ ନାବାର୍ଡ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦିଆଯାଇଛି।_
_ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳନାଗତ ତ୍ରୁଟି ସମ୍ପର୍କରେ ନାବାର୍ଡ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି । ରାଜ୍ୟରେ ଥିବା ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଦାୟିତ୍ୱରେ ଥିବା ସିଇଓମାନଙ୍କ ମଧ୍ୟରୁ କେହି ଜଣେ ବି ଏହି ପଦବୀ ନିମନ୍ତେ ଯୋଗ୍ୟ ନୁହଁନ୍ତି । କିମ୍ବା ସେମାନଙ୍କର କାହାରିବି ଏହି ପଦବୀ ପାଇଁ ଅଭିଜ୍ଞତା ନାହିଁ । ସେହିପରି ରିଜର୍ଭ ବ୍ୟାଙ୍କର ବିନାନୁମତି ଓ ନିୟମକୁ ଖୋଲା ଉଲ୍ଲଘଂନ କରି ଏହି ବ୍ୟାଙ୍କଗୁଡ଼ିକ ପରିଚାଳିତ ହେଉଛନ୍ତି । ବ୍ୟାଙ୍କିଙ୍ଗ ନିୟମ-୧୯୪୯ର ଧାରା-୯ ଅନୁସାରେ କୌଣସି ବ୍ୟାଙ୍କ ୭ବର୍ଷରୁ ଅଧିକ ସମୟ ଧରି କୌଣସି ସ୍ଥାବର ସମ୍ପତ୍ତିକୁ ନିଜ ପାଖରେ ରଖିପାରିବ ନାହିଁ ଓ ଏଥିପାଇଁ ରିଜର୍ଭ ବ୍ୟାଙ୍କର ଅନୁମତି ଜରୁରୀ । କିନ୍ତୁ ରାଜ୍ୟ ସମବାୟ ବ୍ୟାଙ୍କ ୨୪ଟି ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ୯ଟି ସ୍ଥାବର ସମ୍ପତ୍ତିକୁ ଆହରଣ କରିଛନ୍ତି । ଆଉ ଏଥିରୁ ମାତ୍ର ୪ଟି ସମ୍ପତ୍ତି ସମ୍ପର୍କରେ ରିଜର୍ଭ ବ୍ୟାଙ୍କରୁ ଅନୁମତି ଆଣିଛନ୍ତି।_
0 Comments