Recent

6/recent/ticker-posts

ଖୋର୍ଦ୍ଧା: ଜିଲ୍ଲା ସ୍ତରରେ ଧୁମଧାମରେ ପାଳିତ ପଖାଳ ଦିବସ: ଓଡ଼ିଆ ଅସ୍ମିତାର ଗୌରବ ଉଜାଗର

ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଆଜି ଦିନ ୧୨ଟା ସମୟରେ ଜିଲ୍ଲାପରିଷଦ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପଖାଳ ଦିବସ ଭବ୍ୟ ଭାବେ ପାଳିତ ହୋଇଥିଲା। ଏହି କାର୍ୟକ୍ରମରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତା ରହିଥିଲା, ଯାହାରେ ଅନେକ ପ୍ରମୁଖ ଅତିଥିମାନେ ଉପସ୍ଥିତ ହୋଇଥିଲେ।

ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପସଭାପତି ଶ୍ରୀ ଗୋପୀନାଥ ମହାରଣା ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଓ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ସହିତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ଦେଶ ଓ ବିଦେଶର ଅନେକ ସହରରେ ପଖାଳ ଦିବସ ପାଳନକୁ ଅନୁଧ୍ୟାନ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପଖାଳ ହେଉଛି ଓଡ଼ିଆ ଅସ୍ମିତାର ପରିଚୟ ଓ ଏହାକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ।

କାର୍ୟକ୍ରମଟିକୁ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ସଫଳତାର ସହ ପରିଚାଳନା କରିଥିଲେ ଓ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ ସହଯୋଗ କରିଥିଲେ। ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉତ୍ସାହର ସହ ଏହି କାର୍ୟକ୍ରମରେ ଯୋଗ ଦେଇଥିଲେ।
ପରିଶେଷରେ ସମସ୍ତ ଅତିଥି ଓ ଉପସ୍ଥିତ ଲୋକମାନେ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ପଖାଳ ସହ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନର ଆସ୍ୱାଦ ନିଅଇ ଏହି ଦିବସକୁ ସ୍ମରଣୀୟ କରିଥିଲେ। ଏହା ଓଡ଼ିଆ ସଂସ୍କୃତି ଓ ଖାଦ୍ୟ ପରମ୍ପରାକୁ ପ୍ରଚାର ପ୍ରସାର କରିବାରେ ଏକ ଉତ୍କୃଷ୍ଟ ପ୍ରୟାସ ଭାବେ ପ୍ରମାଣିତ ହୋଇଛି।

Post a Comment

0 Comments