କଟକ: ଦେଶରେ ଜିଏସଟି ଲାଗୁ ହେବା ପରେ ଟିକସ ଫାଙ୍କିକୁ ରୋକାଯାଇପାରିବା ନେଇ ଆଶା ସଞ୍ଚାର ହୋଇଥିଲା। ବିଶେଷକରି ପୂର୍ବପ୍ରଚଳିତ ଟିକସ ବ୍ୟବସ୍ଥାରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଟିକସ ଫାଙ୍କିଚାଲିବା ନେଇ ଅଭିଯୋଗ ହେଉଥିଲା। ଜିଏସଟି ଲାଗୁ ହେବା ପରେ ଠକ ସଂସ୍ଥାଗୁଡିକ କୋଟି କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇବାରେ ଲାଗିଛନ୍ତି। ଯାହା ବେଶ ଚିନ୍ତାଜନକ ରହିଛି। ଏପରିକି ନିକଟରେ କଳାଧନ ଯାଞ୍ଚ ପାଇଁ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ମଧ୍ୟ ଜିଏସଟି ଠକେଇରୁ କଳାଧନ ଉପାର୍ଜନ ଓ ଏଥିରେ ବିନିଯୋଗ ହେଉଥିବା କଥା କହିଥିଲେ।
କଳାଧନ ବିନିଯୋଗ ଓ ଉପାର୍ଜନ ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ ହୋଇଥିବା ସେ କହିଥିଲେ। ଉଚ୍ଚସ୍ତରୀୟ ବୈଠକରେ ଜିଏସଟି ଠକେଇ ରୋକିବାକୁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା। ବାସ୍ତବରେ କୌଣସି ସଂସ୍ଥା ନଖୋଲି କାଗଜକଲମରେ ଦ୍ରବ୍ୟ କିଣା ବିକା ହେଉଛି। ଏହି ବାବଦରେ ସେମାନେ ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇଆସୁଛନ୍ତି। ୨୦୧୮ରୁ ଅଦ୍ୟାବଧି ସମଗ୍ର ରାଜ୍ୟରେ ପ୍ରାୟ ୯ହଜାର୧୯୬କୋଟିର ଜାଲ୍ ବିଲ୍ ବଳରେ ୧୭୪୦କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟକୁ ଠକିନେଇଛନ୍ତି ଜିଏସଟି ଠକ। ବିଗତ କିଛି ବର୍ଷ ହେବ ଏହି ଠକେଇ ବେଶ ଅଭିନବ ଢଙ୍ଗରେ ଚାଲୁଛି। ଯଦିଓ ଜିଏସଟି ବିଭାଗ ଉପରୋକ୍ତ ଟଙ୍କା ଠକେଇ ଘଟଣା ଗୁଡିକୁ ପର୍ଦ୍ଦାଫାସ କରିପାରିଛି ହେଲେ ଏହାର ଦୁଇଗୁଣାରୁ ଅଧିକ ଠକେଇ ହୋଇଥିବା ସମର୍ଥୀତ ସୂତ୍ରରୁ ଜଣାପଡ଼ିଛି। ଜିଏସଟି ବିଭାଗ ପକ୍ଷରୁ ଯେଉଁ କେତେଗୋଟି ବୃହତ୍ତ ଠକେଇର ପର୍ଦ୍ଦାଫାସ ହୋଇଛି ତନ୍ମଧ୍ୟରୁ ଅଧିକାଂଶ ଠକେଇର ମାଧ୍ୟମ ଲୌହ, ଇସ୍ପାତ ତଥା ସ୍କ୍ରାପ ବ୍ୟବସାୟ ହୋଇଛି।


0 Comments