Recent

6/recent/ticker-posts

ହୋଲି ଖେଳି ମହାନଦୀରେ ଗାଧେଇବା ହେଲା କାଳ।

ଗୋପୀନାଥପୁର- ସିଂହନାଥପୀଠକୁ ସଂଯୋଗ ଆସ୍ଥାୟୀ କାଠ ପୋଲ ନିକଟ ମହାନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ
ଲୁହରେ ଭିଜିଲା ହୋଲିର ରଙ୍ଗ।ଗୋଟିଏ ପଟେ ହୋଲିକୁ ନେଇ ରାଜ୍ୟସାରା ହର୍ଷ ଉଲ୍ଲାସର ମାହୋଲ ଚାଲି ଥିବାବେଳେ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରୁ ଆସିଛି ଏକ ହୃଦୟବିଦାରକ ଖବର।ହୋଲି ଖେଳ ସାରି ମହାନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ପାଣିରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। 
ମୃତ ନାବାଳକ ଜଣକ ହେଉଛନ୍ତି ବଡ଼ମ୍ବା ଥାନା ଅନ୍ତର୍ଗତ ତୃଣପୁର ଗ୍ରାମର ପ୍ରିୟାନ୍ସୁ ବେହେରା,(ଜୀବନ),(୧୫)।ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ପ୍ରିୟାନ୍ସୁ ନିଜର କିଛି ସାଙ୍ଗଙ୍କ ସହିତ ମିଶି ତାଙ୍କ ଗାଁରେ ହୋଲି ଖେଳିଥିଲେ। ରଙ୍ଗ ଖେଳ ସରିବା ପରେ ପ୍ରାୟ ଦିନ ୧୦.୩୦ ସମୟରେ ସେମାନେ ଗାଧୋଇବା ପାଇଁ ଗୋପୀନାଥପୁର- ସିଂହନାଥପୀଠକୁ ସଂଯୋଗ ଆସ୍ଥାୟୀ କାଠ ପୋଲ ନିକଟ ମହାନଦୀକୁ ଯାଇଥିଲେ। ସେଠାରେ ପ୍ରଖର ସ୍ରୋତ ହେଉଥିବା ବେଳେ ସେହି କାଠ ପୋଲ ନିକଟରେ ଗାଧୋଇବା ସମୟରେ ପ୍ରିୟାନ୍ସୁଙ୍କର ଦୁଇ ଜଣ ସାଙ୍ଗ ଅସାବଧାନତା ବଶତଃ ଗଭୀର ପାଣିକୁ ଚାଲିଯାଇଥିଲେ।ସାଙ୍ଗମାନଙ୍କୁ ବିପଦରେ ଦେଖି ପ୍ରିୟାନ୍ସୁ ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସିଥିଲେ। 
ହେଲେ ସାଙ୍ଗମାନେ କୌଣସି ମତେ କୂଳକୁ ଫେରି ଆସିବାରେ ସଫଳ ହୋଇଥିଲେ ସୁଦ୍ଧା, ପ୍ରିୟାନ୍ସୁ ନିଜେ ସ୍ରୋତର ପ୍ରଖରତା ସମ୍ଭାଳି ନପାରି ନଦୀ ଗର୍ଭରେ ନିଖୋଜ ହୋଇଯାଇଥିଲେ।ସାଙ୍ଗମାନଙ୍କ ଚିତ୍କାର ଶୁଣି ସେଠାରେ ଗାଧୋଉଥିବା କିଛି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ।ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଖୋଜାଖୋଜି କରିବା ପରେ ପ୍ରିୟାନ୍ସୁଙ୍କୁ ମହାନଦୀ ମଝିରେ ଥିବା ଏକ କୁଦରୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।

ଉପସ୍ଥିତ ଲୋକେ ତୁରନ୍ତ ଦମକଳ ବାହିନୀ ଏବଂ ବଡମ୍ବା ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ପ୍ରିୟାନ୍ସୁଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସ ଗାଡ଼ିରେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପ୍ରିୟାନ୍ସୁ ସୁନାପାଳ ଡିଏଭି ସ୍କୁଲର ଜଣେ ମେଧାବୀ ଛାତ୍ର ଥିଲେ ଏବଂ ତାଙ୍କର ଏଭଳି ଅକାଳ ବିୟୋଗରେ ତୃଣପୁର ଗ୍ରାମ ସମେତ ସମଗ୍ର ବଡ଼ମ୍ବା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
କଟକ ଜିଲ୍ଲା ବଡ଼ମ୍ବାରୁ ଦିନବନ୍ଧୁ ରାଉତଙ୍କ ରିପୋର୍ଟ ସାରା ଦୁନିଆ ନ୍ୟୁଜ୍।

Post a Comment

0 Comments