ଭାରତୀୟ କ୍ରିକେଟ୍ ଫ୍ୟାନ୍ସମାନଙ୍କ ପାଇଁ ଏବେ ଆସିଛି ଏକ ଖୁସି ଖବର। ଆଗାମୀ ଜୁନ୍ ମାସରୁ ଟିମ୍ ଇଣ୍ଡିଆ ପୁଣିଥରେ ଦିନିକିଆ (ODI) ଫର୍ମାଟରେ ମାଇଦାନକୁ ଓହ୍ଲାଇବାକୁ ଯାଉଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ସିରିଜ୍ ଜୁନ୍ ୧୪ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ, ତାପରେ ଦ୍ୱିତୀୟ ମ୍ୟାଚ୍ ଲକ୍ନୌରେ ଏବଂ ତୃତୀୟ ମ୍ୟାଚ୍ ଚେନ୍ନାଇରେ ଆୟୋଜିତ ହେବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ ଦିନ ୧:୩୦ରୁ ଆରମ୍ଭ ହେବ।
ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ଜୁନ୍ ୬ ରୁ ୧୦ ପର୍ଯ୍ୟନ୍ତ ନ୍ୟୁ ଚଣ୍ଡିଗଡ଼ରେ ଗୋଟିଏ ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯିବ। ତାପରେ ୩ଟି ଦିନିକିଆ ମ୍ୟାଚ୍ ସିରିଜ୍ ଆରମ୍ଭ ହେବ। ଏହି ସିରିଜକୁ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଦୁଇ ଦଳର ପ୍ରସ୍ତୁତି ଭାବେ ମଧ୍ୟ ଦେଖାଯାଉଛି।
ସୂଚନା ଅନୁଯାୟୀ, ଏହି ବର୍ଷ ଭାରତୀୟ ଦଳ ପ୍ରାୟ ପାଞ୍ଚଟି ଦିନିକିଆ ସିରିଜ୍ ଖେଳିବା ପ୍ରସ୍ତୁତିରେ ରହିଛି। ୨୦୨୭ ଦିନିକିଆ ବିଶ୍ୱକପକୁ ଲକ୍ଷ୍ୟ କରି ଟିମ୍ ଇଣ୍ଡିଆ ଏବେଠାରୁ ତାଙ୍କର ପ୍ରସ୍ତୁତି ଜୋରଦାର କରୁଛି। ସେଥିପାଇଁ ଆଗାମୀ ସମୟରେ ବହୁତ ଦ୍ୱିପକ୍ଷୀୟ ଦିନିକିଆ ସିରିଜ୍ ଖେଳିବା ପ୍ଲାନ୍ କରାଯାଇଛି।
ଏହା ସହିତ ଆଉ ଗୋଟିଏ ବଡ଼ ସମ୍ଭାବନା ମଧ୍ୟ ଆସିଛି। ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଭାରତ ସହ ହେବାକୁ ଥିବା ୩ ମ୍ୟାଚ୍ ର ଦିନିକିଆ ସିରିଜକୁ ୫ ମ୍ୟାଚରେ ପରିଣତ କରିବା ପାଇଁ ଅନୁରୋଧ କରିଥିବା ଖବର ମିଳିଛି। ଯଦି ଏହି ପ୍ରସ୍ତାବ ଅନୁମୋଦନ ହୋଇଯାଏ, ତେବେ ଫ୍ୟାନ୍ସମାନେ ଆଉ ଅଧିକ ଦିନିକିଆ ମ୍ୟାଚ୍ ଦେଖିବାକୁ ପାଇବେ।
ସମୁଦାୟ ଭାବେ ଦେଖିଲେ, ଆଗାମୀ କିଛି ମାସ ଭାରତୀୟ କ୍ରିକେଟ୍ ପାଇଁ ବହୁତ ବ୍ୟସ୍ତ ଓ ରୋମାଞ୍ଚକର ହେବାକୁ ଯାଉଛି। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫ୍ୟାନ୍ସମାନେ ଏବେ ଏହି ODI ସିରିଜ ଗୁଡିକ ପାଇଁ ଅପେକ୍ଷା କରିଛନ୍ତି।


0 Comments